Unknown

 

 

 

 

 

 

 

 

 

ନେପୋଲିୟନ

କବିଚନ୍ଦ୍ର ଶ୍ରୀ କାଳୀଚରଣ ପଟ୍ଟନାୟକ

 

ପୃଥିବୀରେ ଯେତେ ବୀର ଜନ୍ମଗ୍ରହଣ କରିଅଛନ୍ତି, ସେମାନଙ୍କ ମଧ୍ୟରୁ ଅଳ୍ପ କେତେକଙ୍କର ନାମ ଲୋକ ସମାଜରେ ଆଦୃତ ହୁଏ । ଯେଉଁମାନେ ସ୍ୱୀୟ ପ୍ରତିଭା ଦ୍ୱାରା ଦେଶ ବିଦେଶର ଖ୍ୟାତି ଲାଭ କରିଥାନ୍ତି, ସେମାନଙ୍କର ନାମ ଚିରକାଳ ଅମର ହୋଇ ପୃଥିବୀ ବକ୍ଷରେ ରହିଯାଏ । ଏହି କ୍ଷଣଜନ୍ତା ବୀର ମାନଙ୍କ ମଧ୍ୟରେ ନେପୋଲିୟନ ଜଣେ ।

 

ଇଟାଲି ଉପକୂଳର ୫୦ ମାଇଲ ଦୂରବର୍ତ୍ତୀ ଭୂମଧ୍ୟସାଗର ମଧ୍ୟରେ କର୍ଷିକା ଦ୍ୱୀପ ଅବସ୍ଥିତ । ଏହି ଦ୍ୱୀପରେ ବିଶ୍ୱବିଖ୍ୟାତ ବୀର ନେପୋଲିୟନ ୧୭୬୯ ଖ୍ରୀଷ୍ଟାବ୍ଦ ଅଗଷ୍ଟ ୧୫ ତାରିଖରେ ମଙ୍ଗଳମୟଙ୍କ ଆଶୀର୍ବାଦ ଘେନି ଜନ୍ମଲାଭ କରିଥିଲେ । ତାହାଙ୍କ ପିତାଙ୍କ ନାମ ଚାର୍ଲସ୍‌ ବୋନାପାର୍ଟ ଓ ମାତା ଲେଟିସିୟା ରାମୋଲିନୀ । ଚାର୍ଲସ ଜଣେ ବିଖ୍ୟାତ ଆଇନ ବ୍ୟବସାୟୀ ଓ ଲେଟିସିୟା । ଆଦର୍ଶ ଗୃହିଣୀ ଥିବାରୁ ପରିବାରଟି ବେଶ୍‌ ସୁଖରେ ଚଳି ଆସୁଥିଲା ।

 

ନେପୋଲିୟନ ଚାର୍ଲସ୍‌ଙ୍କର ଦ୍ୱିତୀୟ ପୁତ୍ର । ତୁଳସୀ ଦୁଇ ପତ୍ରରୁ ବାସିଲାପରି ନେପୋଲିୟନଙ୍କର ଆଦର୍ଶ ଚରିତ୍ର ଓ ପ୍ରତିଭା ବାଲ୍ୟକାଳରୁ ବିକଶିତ ହୋଇଥିଲା । ତାଙ୍କଠାରେ ଦୟା, ପ୍ରେମ, ସରଳତା, ନିରହଙ୍କାର ଓ ମାତୃଭକ୍ତି ପ୍ରଭୃତି ବିଶିଷ୍ଟ ଗୁଣ ଗୁଡ଼ିକର ପରିଚୟ ପାଇ ଜଣେ ପଣ୍ଡିତ କହିଥିଲେ, ‘‘ଏ ବାଳକ ଭବିଷ୍ୟତରେ ବିଶ୍ୱର ସର୍ବଶ୍ରେଷ୍ଠ ବ୍ୟକ୍ତି ହେବ ।’’

 

ଶିଶୁ ଅବସ୍ଥାରେ ନେପୋଲିୟନଙ୍କ ପିତା ଚାର୍ଲସ ଇହଧାମ ପରିତ୍ୟାଗ କଲେ । ମାତାଙ୍କୁ ଗୃହର ସମସ୍ତ ଦାୟିତ୍ୱ ବହନ କରିବାକୁ ପଡ଼ିଲା । ଲେଟିସିୟା ଆଠଟି ସନ୍ତାନ ଘେନି ଦୁଃଖରେ କାଳ କଟାଇବାକୁ ଲାଗିଲେ । ସୁତରାଂ ନେପୋଲିୟନଙ୍କ ବାଲ୍ୟ ଜୀବନ ଦୁଃଖ କଷ୍ଟରେ ଅତିବାହିତ ହେଲା ।

 

କିଛିଦିନପରେ ଲେଟିସିୟା ସନ୍ତାନମାନଙ୍କୁ ଘେନି ଗୋଟିଏ ଗ୍ରାମ୍ୟ ଗୃହରେ ଅବସ୍ଥାନ କଲେ । ଘର ପାଖରେ ଗୋଟିଏ ଅଳ୍ପୋଚ୍ଚ ଗିରି ଥିଲା । ସେଥିରେ ଥିବା ଗୋଟିଏ ଗୁମ୍ଫା ମଧ୍ୟରେ ନେପୋଲିୟନ ଅଧିକାଂଶ ସମୟ କଟାଉଥିଲେ । ଗ୍ରାମର ବାଳକ ବାଳିକା ଯେତେବେଳେ ହସ କୌତୁକରେ ମାତୁଥିଲେ, ସେତେବେଳେ ନେପୋଲିୟନ ଏହି ଗୁମ୍ଫା ମଧ୍ୟରେ ନୀରବରେ ପୁସ୍ତକ ପାଠ କରୁଥିଲେ । ଏପରି କି ସେଠାରେ ତାଙ୍କର ଦିନସାରା ବିତି ଯାଉଥିଲା । ମାତାଙ୍କ ଆଦେଶରେ ସେ ସର୍ବଦା ଅଧ୍ୟୟନରେ ଲାଗିପଡ଼ିଲେ । ମାତାଙ୍କ ପ୍ରତି ତାଙ୍କର ପ୍ରଗାଢ଼ ଭକ୍ତି ଥିଲା । ଭାଇ ଭଉଣୀଙ୍କୁ ସେ ଅତ୍ୟନ୍ତ ସ୍ନେହ ଚକ୍ଷୁରେ ଦେଖୁଥିଲେ । ପିଲାଦିନରୁ ତାଙ୍କର ସତ୍ୟପ୍ରତି ଆଦର ଥିବାର ଜଣାଯାଏ । ଥରେ ଜଣେ ବନ୍ଧୁଙ୍କ ପାଇଁ ସେ ତିନିଦିନ ତିନିରାତି ଉପବାସ ରହିଥିଲେ ।

 

ପାଞ୍ଚବର୍ଷ ବୟସରେ ନେପୋଲିୟନ ଗୋଟିଲ ବାଳିକା ସ୍କୁଲରେ ବିଦ୍ୟାରମ୍ଭ କଲେ । ଏଠାରେ ଜିୟା କମିନେତା ନାମ୍ନୀ ଗୋଟିଏ ବାଳିକା ସହିତ ତାଙ୍କର ବନ୍ଧୁତା ହେଲା ଏବଂ ତାହା କ୍ରମେ ଏପରି ବୃଦ୍ଧି ପାଇଲା ଯେ ଉଭୟେ ଉଭୟଙ୍କୁ ଦଣ୍ଡେ ନ ଦେଖିଲେ ରହି ପାରିଲେ ନାହିଁ । ଏହା ଦେଖି ସହପାଠୀମାନେ ତାହାଙ୍କୁ ଉପହାସ କଲେ । ଥରେ ଥରେ ନେପୋଲିୟନ ସେମାନଙ୍କ ଉପରେ ଏତେ ବିରକ୍ତ ହୋଇ ପଡ଼ୁଥିଲେ ଯେ ସେମାନଙ୍କୁ ନିର୍ଦ୍ଦୟ ଭାବରେ ପ୍ରହାର କରୁଥିଲେ । ସେଥିଯୋଗୁଁ ସହପାଠୀମାନେ ତାଙ୍କୁ ସର୍ବଦା ଡରି ଚଳୁଥିଲେ ।

 

କିଛି ଦିନ ଅନ୍ତେ ନେପୋଲିୟନ ଗୋଟିଏ ବାଳକ ସ୍କୁଲକୁ ପ୍ରେରିତ ହେଲେ । ଥରେ ରୋମ ଓ କାର୍ଥେଜ ମଧ୍ୟରେ କିପରି ଯୁଦ୍ଧ ହେଲା ଓ ରୋମ କିପରି ଜୟଲାଭ କଲା ଏହି ବିଷୟ କ୍ଲାସରେ ପଢ଼ାହେବାର ଥିଲା । ଇତିହାସ ଶିକ୍ଷକ କ୍ଲାସରେ ନ ପଢ଼ାଇ ପ୍ରତ୍ୟେକ୍ଷ ସମର ଦ୍ୱାରା ବିଷୟଟିକୁ ବୁଝାଇବେ ବୋଲି ମନସ୍ଥ କଲେ । ତାଙ୍କର ନିର୍ଦ୍ଦେଶ କ୍ରମେ ଶ୍ରେଣୀର ଛାତ୍ରବୃନ୍ଦ ଦୁଇ ଦଳରେ ବିଭକ୍ତ ହେଲେ । ଦଳେ ରୋମ ସେନା ଓ ଅନ୍ୟ ଦଳକ କାର୍ଥେଜ ସେନା ହେଲେ । ଶିକ୍ଷକ କାର୍ଥେଜ ପକ୍ଷରୁ ନେପୋଲିୟନଙ୍କୁ ଓ ରୋମ ପକ୍ଷରୁ ତାଙ୍କ ଭାଇ ଯୋସେଫଙ୍କୁ ସେନାପତି ନିମନ୍ତେ ବାଛିଲେ । କିନ୍ତୁ ବିଜିତ ଦଳର ସେନାପତି ନିମନ୍ତେ ବାଛିଲେ । କିନ୍ତୁ ବିଜିତ ଦଳର ସେନାପତି ହେବାପାଇଁ ନେପୋଲିୟନ ରାଜି ହେଲେ ନାହିଁ । ଏହାଦେଖି ଯୋସେଫ ନିଜ ଇଚ୍ଛାରେ କାର୍ଥେଜ ଦଳରୁ ସେନାପତି ହେଲେ । ନେପୋଲିୟନ ଆନନ୍ଦର ସହିତ ରୋମଦଳରେ ଯୋଗଦେଲେ । ସେତେବେଳେ ତାଙ୍କର ବୟସ ପାଞ୍ଚ ବର୍ଷ ମାତ୍ର ।

 

ଦଶବର୍ଷ ବୟସରେ ନେପୋଲିୟନ ପାରିସ ନିକଟବର୍ତ୍ତୀ ବ୍ରୟେନ ସୈନିକ ବିଦ୍ୟାଳୟକୁ ପ୍ରେରିତ ହେଲେ । ମାତାଙ୍କଠାରୁ ବିଦାୟ ନେଲାବେଳେ ସେ ଶିଶୁପରି କାନ୍ଦିବାକୁ ଲାଗିଲେ । ବ୍ରୟେନ ବିଦ୍ୟାଳୟକୁ ଆସି ନେପୋଲିୟନ ଦେଖିଲେ ଯେ ସେଠାରେ କେବଳ ଧନୀକ ସନ୍ତାନମାନେ ଶିକ୍ଷାଲାଭ କରନ୍ତି । ସେମାନଙ୍କ ପୋଷାକ ତୁଳନାରେ ନିଜର ପୋଷାକ ଅତି ତୁଚ୍ଛା, ତଥାପି ସେ ବିରସଭାବ ମନରେ ନ ବହି ଉତ୍ସାହର ସହିତ ଅଧ୍ୟୟନ କଲେ । ଏ ବିଦ୍ୟାଳୟରେ ନେପୋଲିୟନ ଗ୍ରୀକ୍‌ ଓ ଲାଟିନ ଭାଷାରେ ପ୍ରବୀଣ ହୋଇ ପାରି ନ ଥିଲେ ସୁଦ୍ଧା ଗଣିତ ଓ ଯୁଦ୍ଧ-ବିଦ୍ୟାରେ ତାଙ୍କ ସମକକ୍ଷ କେହି ନ ଥିଲେ । ଇତିହାସ ପ୍ରତି ତାଙ୍କର ବିଶେଷ ଆଗ୍ରହ ପ୍ରକାଶ ପାଇଥିଲା । ସେ ଗ୍ରୀସ ଓ ରୋମର ବୀରମାନଙ୍କ ଯୁଦ୍ଧ କାହାଣୀ ଅତି ଆଗ୍ରହ ସହକାରେ ପାଠ କରୁଥିଲେ ଏବଂ ଭବିଷ୍ୟତରେ ସେହିପରି ଜଣେ ବଡ଼ ବୀର ହେବେ ବୋଲି କଳ୍ପନା କରିଥିଲେ । ବାଲ୍ୟକାଳର ଅନେକ ଘଟଣାରୁ ଭବିଷ୍ୟତରେ ସେ କିପରି ବୀର ହେବେ ଏକଥା ପରିଷ୍କାର ଜଣା ଯାଉଥିଲା । ଥରେ ୧୭୮୪ ଖ୍ରୀଷ୍ଟାବ୍ଦରେ ଏତେ ଯୋରରେ ବରଫ ପଡ଼ିଲା ଯେ ସମୁଦାୟ ନଗରଟି ବରଫରେ ପୂର୍ଣ୍ଣ ହୋଇଗଲା । ଲୋକେ ସୁବିଧାରେ ଚଳାଚଳ କରିପାରିଲେ ନାହିଁ । ଏପରି ଏକ ଦୁଃସମୟକୁ କିପରି ସୁଖରେ କଟାଇବେ, ଏହାହିଁ ନେପୋଲିୟନଙ୍କର ବର୍ତ୍ତମାନ ଚିନ୍ତାର ବିଷୟ । ଦିନେ ସେ ସହପାଠୀମାନଙ୍କୁ ଡାକି ଏକ ଉପଦେଶ ଦେଲେ । ତାଙ୍କର ଆଦେଶନୁସାରେ ବରଫ ଦ୍ୱାରା ଏକ ଦୁର୍ଗ ନିର୍ମିତ ହେଲା ଓ ସେଥିରେ ପରିଖା ସେତୁ ପ୍ରଭୃତି ତିଆରି କରାଗଲା । ଗୁଳି ନିମନ୍ତେ ଛୋଟ ବଡ଼ ପଥରଗୁଡ଼ିଏ ସଂଗୃହିତ ହେଲା । ସହପାଠୀମାନେ ଦୁଇ ଦଳରେ ବିଭକ୍ତ ହେଲେ ଓ ଉଭୟ ପକ୍ଷର ପରାମର୍ଶଦାତା ହେଲେ ନେପୋଲିୟନ । ଏହି ସମୟରେ ଜଣେ ସହପାଠୀ ତାଙ୍କ ଆଦେଶ ଅମାନ୍ୟ କରିବାରୁ ନେପୋଲିୟନ ତାହାର ମୁଣ୍ଡରେ ଏପରି ଏକ କ୍ଷତ କରିଦେଲେ ଯେ ତାହା ଜୀବନସାରା ଗୋଟିଏ ଦାଗ ହୋଇ ରହିଗଲା । ଏଥିରୁ ଜଣାଯାଏ, ନେପୋଲିୟନ ପିଲାଦିନରୁ କିପରି ନିର୍ଭୀକ ଓ କର୍ତ୍ତବ୍ୟନିଷ୍ଠ ଥିଲେ ।

 

୧୭୮୪ ଖ୍ରୀଷ୍ଟାବ୍ଦରେ ନେପୋଲିୟନ ଫ୍ରାନ୍‌ସ ରାଜଧାନୀ ପାରିସ୍‌ ନଗରର ସୈନିକ ବିଦ୍ୟାଳୟରେ ପ୍ରବେଶ କଲେ । ସେଠାରେ ଛାତ୍ରମାନେ ଆମୋଦ ପ୍ରମୋଦରେ କାଳ କଟାଉଥିବାର ଦେଖି ସେ ମର୍ମାହତ ହୋଇପଡ଼ିଲେ । ଦେଶର କର୍ଣ୍ଣଧାର ଯେଉଁମାନେ, ସେମାନଙ୍କର ଏପରି ବିଳାସ ବ୍ୟସନ ଦେଖିଲେ କେଉଁ ଦେଶଭକ୍ତ ଏହା ସହ୍ୟ କରିବ ? ଏଥିନିମନ୍ତେ ନେପୋଲିୟନ ତୀବ୍ର ପ୍ରତିବାଦ କରି କର୍ତ୍ତ୍ୟୃପକ୍ଷଙ୍କୁ ଜଣାଇଲେ–ଛାତ୍ରମାନେ ବିନା ଚାକରରେ ନିଜ ନିଜର କାର୍ଯ୍ୟ ସମ୍ପାଦନ କରନ୍ତୁ–ସେମାନଙ୍କୁ ସାଧାରଣ ଖାଦ୍ୟ ଦିଆଯାଉ ଏବଂ ସେମାନେ ଯେପରି ବିଳାସ ବ୍ୟସନ ପରିତ୍ୟାଗ କରିବେ ସେଥିପ୍ରତି ତୀବ୍ର ଦୃଷ୍ଟି ରହୁ । ମାତ୍ର ତାଙ୍କର ଏ ପ୍ରତିବାଦ ବ୍ୟର୍ଥ ହେଲା । ୧୭୮୫ ଖ୍ରୀଷ୍ଟାବ୍ଦରେ ନେପୋଲିୟନ ସୈନ୍ୟ ବିଭାଗରେ ଯୋଗ ଦେବାପାଇଁ ପରୀକ୍ଷା ଦେଇ ଅତି କୃତିତ୍ୱର ସହିତ ଉତ୍ତୀର୍ଣ୍ଣ ହେଲେ । ତାଙ୍କ ଇତିହାସ ପ୍ରଶ୍ନର ଉତ୍ତର ଏତେ ସନ୍ତୋଷଜନକ ହୋଇଥିଲା ଯେ, ପରୀକ୍ଷକ ପ୍ରୀତ ହୋଇ କହିଥିଲେ, ‘‘ଏହି ଯୁବକ ଭବିଷ୍ୟତରେ ସସାଗରା ଧରଣୀରେ ପ୍ରତିଷ୍ଠା ଲାଭ କରିବେ ।’’

 

ନେପୋଲିୟନ ଷୋଳ ବର୍ଷ ବୟସରେ ରାଫେୟାର ଗୋଲନ୍ଦାଜ ସୈନ୍ୟ ଦଳର ଦ୍ୱିତୀୟ ଲେଫ୍‌ଟନାଣ୍ଟ ପଦରେ ନିଯୁକ୍ତ ହେଲେ ଏବଂ ୧୭୯୧ ଖ୍ରୀଷ୍ଟାବ୍ଦରେ ପ୍ରଥମ ଲେଫ୍‌ଟନାଣ୍ଟ ପଦକୁ ଉତ୍ତୀର୍ଣ୍ଣ ହେଲେ । ଏଠାରେ ସେ ଗୋଟିଏ ବକ୍ତୃତା ସଭା ସ୍ଥାପନ କରି ଅଗ୍ନିମୟ ବକ୍ତୃତାମାନ ଦେଉଥିଲେ ।

 

ଏହି ସମୟରେ ଫ୍ରାନ୍‌ସରେ ରାଜା ଓ ପ୍ରଜାମାନଙ୍କ ମଧ୍ୟରେ ବିବାଦ ସୃଷ୍ଟି ହେଲା । ଫଳତଃ ଦେଶସାରା ଏକ ବିପ୍ଳବ ଘୋଟିଗଲା । ଫରାସୀ ସମ୍ରାଟ ପଞ୍ଚଦଶ ଲୁଇଙ୍କ ମୃତ୍ୟୁପରେ ତାଙ୍କ ପୁତ୍ର ଷୋଡ଼ଶ ଲୁଇ ନାମ ଧାରଣ କରି ସିଂହାସନରେ ବସିଲେ । ତାଙ୍କର ପତ୍ନୀ ଜର୍ମାନ ରାଜକୁମାରୀ ମେରୀ । ମେରୀ ବଡ଼ ବିଚକ୍ଷଣ ଓ ବୁଦ୍ଧିମତୀ ଥିଲେ, କିନ୍ତୁ ଫରାସୀ ଜାତିର ରୀତିନୀତିକୁ ପସନ୍ଦ କରୁ ନଥିଲେ । ରାଜା ନିଜର ପତ୍ନୀପ୍ରତି ଏକାନ୍ତ ଅନୁରକ୍ତ ହେବାରୁ ରାଣୀଙ୍କ ଆଦେଶରେ ଦେଶ-ଶାସନ ଚାଲିଲା । ଫଳତଃ ଫ୍ରାନ୍‌ସବାସୀ ରାଣୀଙ୍କ ଦ୍ୱାରା ଅପମାନିତ ହୋଇ ବିଦ୍ରୋହ ଆରମ୍ଭ କଲେ ।

 

କର୍ଷିକା ଫ୍ରାନ୍‌ସର ଅଧୀନ । ନେପୋଲିୟନ କର୍ଷିକାର ପରାଧୀନତା ବିଷୟ ଚିନ୍ତାକରି ଅତ୍ୟନ୍ତ ଅଧୀର ହୋଇ ପଡ଼ିଲେ । କିନ୍ତୁ ନିଜର ଶକ୍ତି ଓ ସାମର୍ଥ୍ୟ ଦେଖି ସେ ନୀରବ ରହିବା ହିଁ ଶ୍ରେୟ ବୋଲି ମନେକଲେ, କିନ୍ତୁ ଯେତେବେଳେ ସେ ଶୁଣିପାରିଲେ ଯେ, ଫ୍ରାନ୍‌ସରେ ଅରାଜକତା ପୂରି ରହିଛି, ସେତେବେଳେ ସେ ଏହାକୁ ବିଭଦତ୍ତ ସୁଯୋଗ ବୋଲି ମନେକଲେ । ୧୭୯୩ ଖ୍ରୀଷ୍ଟାବ୍ଦରେ ନେପୋଲିୟନ ଅବସର ଗ୍ରହଣ କରି କର୍ଷିକା ଅଭିମୁଖରେ ଯାତ୍ରାକଲେ । ସେତେବେଳେ କର୍ଷିକାର ଶାସନକର୍ତ୍ତା ପାଓଲି । ପାଓଲି ଇଂରେଜି ବିଦ୍ୱେଷୀ ନେପୋଲିୟନଙ୍କୁ ଇଂରେଜମାନଙ୍କ ହସ୍ତରେ ଅର୍ପଣ କରିବାକୁ ଅପେକ୍ଷାକରି ବସିଥିଲେ ଏବଂ ନେପୋଲିୟନଙ୍କୁ ଫେରି ଆସିବାର ଦେଖି ସୈନ୍ୟ ପଠାଇ ବନ୍ଦୀକଲେ । ନେପୋଲିୟନ ଅସହାୟ ଅବସ୍ଥାରେ ପଡ଼ି ମୁକ୍ତିଲାଭର ଉପାୟ ଚିନ୍ତା କଲେ । ଦିନେ ସେ ଲୁକକା୍‌ୟିତ ଭାବରେ ମାତା ଓ ଭାଇ ଭଉଣୀମାନଙ୍କୁ ତରୀରେ ବସାଇ ନାଇସ୍‌ ବନ୍ଦର ଅଭିମୁଖରେ ଯାତ୍ରାକଲେ । ନାଇସ୍‌ରେ କିଛିଦିନ ରହି ସେ ମାର୍ସାଲିସ୍‌ ଗଲେ । ନିଜର ମାତୃଭୂମିକୁ ଛାଡ଼ିଆସି ଥିବାରୁ ତାଙ୍କର ପ୍ରାଣ କାନ୍ଦି ଉଠିଲା । ମାର୍ସାଲିସ୍‌ରେ ସେ ଅର୍ଥର ଅଭାବ ଅନୁଭବ କଲେ । ଏହି ସମୟରେ ଇଂରେଜ ଓ ସ୍ପେନୀୟ ସୈନ୍ୟମାନେ ଫ୍ରାନ୍‌ସ ଉପରେ ଆକ୍ରମଣ କଲେ । ଫ୍ରାନ୍‌ସର ଦକ୍ଷିଣ ଉପକୂଳ ରକ୍ଷା କରିବାପାଇଁ ନେପୋଲିୟନ ପ୍ରେରିତ ହେଲେ । ସେ ମନପ୍ରାଣ ଅର୍ପଣ କରି ଫ୍ରାନ୍‌ସର ଦକ୍ଷିଣ ଉପକୂଳ ରକ୍ଷାକଲେ । ସଙ୍ଗେ ସଙ୍ଗେ ଫ୍ରାନ୍‌ସ ଉପରେ ଅଷ୍ଟ୍ରିଆ ସୈନ୍ୟମାନଙ୍କର ଆକ୍ରମଣ ଚାଲିଲା । ଏହିପରି ଚାରିଆଡ଼ୁ ପ୍ରବଳ ପରାକ୍ରାନ୍ତ ଇଉରୋପୀୟ ଶତ୍ରୁମାନଙ୍କର ଆକ୍ରମଣରେ ଫ୍ରାନ୍‌ସ ଧ୍ୱସ୍ତ ବିଧ୍ୱସ୍ତ ହେବାକୁ ଲାଗିଲା । ନେପୋଲିୟନ ଏହା ଦେଖି ବଡ଼ ବିଚଳିତ ହୋଇପଡ଼ିଲେ, ତଥାପି ସାହସର ସହିତ ସମ୍ମୁଖୀନ ହୋଇ ଗୋଟିକ ପରେ ଗୋଟିଏ ଯୁଦ୍ଧରେ ଜୟଲାଭ କଲେ । ତାଙ୍କର ପ୍ରବଳ ପ୍ରତିରୋଧରେ ଶତ୍ରୁସେନା ଛିନ୍ନ ଭିନ୍ନ ହୋଇଗଲେ । ଏହି ଯୁଦ୍ଦରେ ନେପୋଲିୟନଙ୍କ ସାହସ ଓ ବୀରତ୍ୱ ଦେଖି ଫ୍ରାନ୍‌ସବାସୀ ଧନ୍ୟ ଧନ୍ୟ କଲେ ।

 

କିଛିଦିନପରେ ନେପୋଲିୟନ ଅଷ୍ଟ୍ରୀୟ ସୈନ୍ୟଙ୍କର ପ୍ରତିରୋଧ ପାଇଁ ମାର୍ସେଲିସ୍‌ଠାରେ ଗୋଟିଏ ପୁରାତନ କାରାଗାର ମରାମତ କଲେ । ତାଙ୍କର ଉଦ୍ଦେଶ୍ୟଥିଲା ଯେ, କାରାଗାର ମରାମତ ହୋଇ ଅସ୍ତ୍ରାଗାରରୂପେ ବ୍ୟବହୃତ ହେବ । କିନ୍ତୁ ଜଣେ ଖଳଲୋକ ଫ୍ରାନ୍‌ସର ଶାନ୍ତିରକ୍ଷକ ସମିତି ନିକଟରେ ଜଣାଇଲା ଯେ, କାରଗାର ମରାମତ ହେବାର ଉଦ୍ଦେଶ୍ୟ ସେଠାରେ ନଗରବାସୀମାନେ ବନ୍ଦୀ ହେବେ । ଏହି ଅଭିଯୋଗରେ ନେପୋଲିୟନ କାରାଗାରକୁ ପ୍ରେରିତ ହେଲେ । ଏଥିରେ ତାଙ୍କର ହୃଦୟ ଭାଙ୍ଗି ପଡ଼ିଲା । ସେ ବନ୍ଦୀଶାଳାରୁ ଖଣ୍ଡିଏ ପତ୍ର ଲେଖି ଦେଶବାସୀଙ୍କୁ ଜଣାଇଲେ । ସେଥିରେ ଦେଶବାସୀଙ୍କର ଚେତନା ଆସିଲା । ଫଳରେ ସେ କାରାମୁକ୍ତ ହୋଇ ପାରିସ୍‌କୁ ଫେରିଆସିଲେ । ସେ ନିର୍ଦ୍ଦୋଷ ବୋଲି ପ୍ରମାଣିତ ହେଲେ ସୁଦ୍ଧା ତାଙ୍କୁ ତାଙ୍କ ଚାକିରୀରେ ଆଉ ପୂର୍ବପରି ରଖାଗଲା ନାହିଁ । ଏଥିରେ ସେ ବଡ଼ ଅପମାନିତ ହେଲେ । ଏଣେ ଅର୍ଥଚିନ୍ତା, ତେଣେ ସମ୍ମାନ ହାନି ଉଭୟ ମିଶି ତାଙ୍କୁ ବିବ୍ରତ କରି ପକାଇଲା । ସେତେବେଳେ ତାଙ୍କର ମା ଓ ଭାଇ ଭଉଣୀମାନେ ମାର୍ସାଲିସ୍‌ରେ ଥାନ୍ତି । ଦିନେ ସେ ମାଆଙ୍କଠାରୁ ଚିଠି ପାଇଲେ ଯେ ଅର୍ଥାଭାବ ଦିନକୁ ଦିନ ବଢ଼ୁଛି । ଏଣିକି ଚଳିବା ନିତାନ୍ତ କଷ୍ଟକର ହେବ । ଦାରୁଣ ଚିନ୍ତା ନେପୋଲିୟନଙ୍କୁ ଅସ୍ଥିର କରି ପକାଇଲା । ଭାଗ୍ୟକୁ ଚାକିରୀ ଖଣ୍ଡିଏ ବି ମିଳୁ ନ ଥାଏ । ସେ ଅନ୍ୟ ଉପାୟ ନ ଦେଖି ନଦୀକୁ ଡେଇଁପଡ଼ି ଆତ୍ମହତ୍ୟା କରିବାକୁ ଯାଉଥିଲେ । ସେହି ସମୟରେ ତାଙ୍କର ବାଲ୍ୟବନ୍ଧୁ ଡିମାସିସ୍‌ ସେଠାରେ ପହଞ୍ଚି ଏବଂ ତାଙ୍କର ଶୋଚନୀୟ ଅବସ୍ଥା ଦେଖି ତାଙ୍କୁ ଛ ହଜାର ଡୋଲାର ସ୍ୱର୍ଣ୍ଣମୁଦ୍ରା ଦେଲେ । ନେପୋଲିୟନ ବିସ୍ମିତ ହୋଇ ଡିମାସିସ୍‌ଙ୍କୁ କହିଲେ, ‘‘ତୁମେ ସେହି ଡିମାସିସ୍‌ ନା ଛଦ୍ମବେଶୀ ଦେବତା–ମୋତେ କାଳ କବଳରୁ ଉଦ୍ଧାର କରିବା ପାଇଁ ସହସା ମୋ ଆଗରେ ଆସି ଉପସ୍ଥିତ ହେଲ ।’’ ଡିମାସିସ୍‌ଙ୍କର ଏହି ସମୟୋଚିତ ଦାନ ନେପୋଲିୟନ ଜୀମନରେ ଭୁଲିପାରି ନଥିଲେ ।

 

ଏହି ସମୟରେ ଇଟାଲୀ ଓ ଫ୍ରାନ୍‌ସ ମଧ୍ୟରେ ବାରମ୍ବାର ଯୁଦ୍ଧ ଲାଗିଥାଏ ଏବଂ ଫରାସୀ ସୈନ୍ୟ ଥରକୁ ଥର ପରାଜୟ ଲାଭ କରୁଥାନ୍ତି । ସୁତରାଂ ଫ୍ରାନ୍‌ସର ଶାନ୍ତିରକ୍ଷକ ସମିତି ପୁନର୍ବାର ନେପୋଲିୟନଙ୍କୁ ଯୁଦ୍ଧର ଅଧିନାୟକ ରୂପରେ ଗ୍ରହଣ କଲେ । ତତ୍‌ପରେ ଫ୍ରାନ୍‌ସର ଜାତୀୟ ସଭା ବସିଲା । କିପରି ବିଦ୍ରୋହ ଦମନ କରାଯିବ, ଏହା ହିଁ ଜାତୀୟ ସଭାର ଉଦ୍ଦେଶ୍ୟ । ଏ ଗୁରୁଦାୟିତ୍ୱ କାହା ଉପରେ ନ୍ୟସ୍ତ କରାଯିବ, ସେପରି ଜଣେ ଲୋକକୁ ବାଛିବାକୁ ସଭାପତି ନିର୍ଦ୍ଦେଶ ଦେଲେ । ଏଥିରେ ଜଣେ ସଭ୍ୟ ନେପୋଲିୟନଙ୍କ ନାମ ପ୍ରସ୍ତାବକଲେ । କିନ୍ତୁ ସେ ପର୍ଯ୍ୟନ୍ତ ସଭ୍ୟମାନେ ତାଙ୍କୁ ଚିହ୍ନି ନ ଥିଲେ । ସଭାପତି ମନେକଲେ, ନେପୋଲିୟନ ଜଣେ ବୟସ୍କ ବୀର ହୋଇଇଥିବେ । କିନ୍ତୁ ଯେତେବେଳେ ସେ ଦେଖିଲେ ନେପୋଲିୟନ ଜଣେ ଅଷ୍ଟାଦଶ ବର୍ଷୀୟ ଯୁବକ, ସେତେବେଳେ ତାଙ୍କ ବିସ୍ମୟର ସୀମା ରହିଲା ନାହିଁ । ସେ ସନ୍ଦେହ ପ୍ରକାଶ କରି ପଚାରିଲେ, ‘‘ଏ କାର୍ଯ୍ୟର ଗୁରୁତ୍ୱ ତୁମ୍ଭେ ଅନୁଭବ କରିପାରୁଛ ତ ?’’ ନେପୋଲିୟନ ଧୀର ଅଥଚ ଗମ୍ଭୀର ଭାବରେ ଉତ୍ତର ଦେଲେ, ‘‘ସମ୍ପୂର୍ଣ୍ଣରୂପେ ମୁଁ ଯାହା କର୍ତ୍ତବ୍ୟ ବୋଲି ଗ୍ରହଣ କରେ ତାହା ପ୍ରାଣପଣେ ସାଧନ କରିବାର ଅଭ୍ୟାସ ମୋର ଅଛି ।’’ ସମସ୍ତେ ତାଙ୍କର ଏପରି ବାକ୍ୟ ଶୁଣି ଅତ୍ୟନ୍ତ ବିସ୍ମିତ ହେଲେ । ସଙ୍ଗେ ସଙ୍ଗେ ତାଙ୍କୁ ସେନାପତି ପଦରେ ନିଯୁକ୍ତ କରାଗଲା । ନେପୋଲିୟନ ଏହା ଦେଖି କହିଲେ, ‘‘ଆପଣଙ୍କ ସହିତ ମୋର ଗୋଟିଏ ସର୍ତ୍ତ ରହିବା ଆବଶ୍ୟକ-। ଜାତୀୟ ସଭାର କୌଣସି ଆଦେଶକୁ ଅପେକ୍ଷା ନ କରି ମୁଁ ଅପ୍ରତିହତ କ୍ଷମତା ବିସ୍ତାର କରିବାକୁ ଚାହେଁ ।’’ ତାହା ହିଁ ହେଲା । ତତ୍‌ପରେ ନେପୋଲିୟନ ମାତ୍ର ପାଞ୍ଚହଜାର ସୈନ୍ୟ ଘେନି ଚାଲିଶ ହଜାର ଶତ୍ରୁ ସୈନ୍ୟଙ୍କର ସମ୍ମୁଖୀନ ହେଲେ । ଭୀଷଣ ଯୁଦ୍ଧ ହେଲା । ରାଜ ପଥରେ ରକ୍ତନଦୀ ବହିଗଲା ଏବଂ ପରିଶେଷରେ ନେପୋଲିୟନ ଜୟଲାଭ କଲେ । ନେପୋଲିୟନଙ୍କର ସାହସ ଓ ବୀରତ୍ୱର ପରିଚୟପାଇ ତାଙ୍କୁ ସୈନ୍ୟମଣ୍ଡଳୀର ପ୍ରଧାନ ନାୟକ ପଦ ଦିଆଗଲା । ଏତେ ଦିନପରେ ତାଙ୍କର ଅର୍ଥାଭାବ ଦୂରହେଲା । ସେ ମାର୍ସାଲିସ୍‌ ଯାଇ ମାତାକୁ ଦର୍ଶନ କଲେ ।

 

ଫ୍ରାନ୍‌ସର ବିଜୟ ଦେଖି ଇଂଲଣ୍ଡ, ମାର୍ଡିନିଆ, ନେପଲ୍‌ସ, ସିସିଲି ପ୍ରଭୃତି ରାଜ୍ୟ ତାହା ବିରୁଦ୍ଧରେ ସୈନ୍ୟ ଚାଳନା କଲେ । ଏଥର ନେପୋଲିୟନ ତିରିଶ ହଜାର ସୈନ୍ୟଘେନି ଅଶି ହଜାର ଶତ୍ରୁ ସୈନ୍ୟଙ୍କର ସମ୍ମୁଖୀନ ହେଲେ । ଫ୍ରାନ୍‌ସ ସରକାର ସେତେବେଳେ ଅର୍ଥ ଶୂନ୍ୟ, ଏପରିକି ସୈନ୍ୟମାନଙ୍କୁ ବେତନ ଦେବାକୁ ସରକାର ହାତରେ କିଛି ନ ଥାଏ । ତାପରେ ପୁଣି ଖାଦ୍ୟଭାବ । ଏପରି ଏକ ସଙ୍କଟ ସମୟରେ ନେପୋଲିୟନ ନିରୁତ୍ସାହ ନ ହୋଇ ସୈନ୍ୟମାନଙ୍କୁ ଉଦ୍‌ବୋଧନ ଦେଇ ଯୁଦ୍ଧଭୂମିରେ ଅବତୀର୍ଣ୍ଣ ହେଲେ । ସେହି ସମୟରେ ସେ ସୈନ୍ୟମାନଙ୍କୁ ଉତ୍ସାହ ଦେବାପାଇଁ ଏକ ଘୋଷଣାପତ୍ର ପାଠ କଲେ । ସେଥିରେ ଲେଖାଥିଲା, ‘‘ସୈନ୍ୟଗଣ, ତୁମ୍ଭେମାନେ କ୍ଷୁଧାର୍ତ୍ତ ଓ ବିବସ୍ତ୍ର, ସରକାର ତୁମ୍ଭମାନଙ୍କ ପାଖରେ ବହୁ ବିଷୟରେ ୠଣୀ; କିନ୍ତୁ କୌଣସି ପ୍ରକାର ପ୍ରତିଦାନ-ଶକ୍ତି ତାର ନାହିଁ । ମୁଁ ତୁମ୍ଭମାନଙ୍କ ପରିଚାଳକ ରୂପେ ଏଠାକୁ ଆସିଛି । ତୁମ୍ଭମାନଙ୍କୁ ଉର୍ବରତମ ଓ ଶସ୍ୟଶାମଳ ଦେଶକୁ ନେଇଯିବାପାଇଁ । ବିଭୁଙ୍କର କୃପାହେଲେ ଅବଶ୍ୟ ତୁମ୍ଭେମାନେ ସମୃଦ୍ଧିଶାଳୀ ବହୁଦେଶ ଜୟ କରିବ । ସେତେବେଳେ ଖାଦ୍ୟ, ପେୟ, ସମ୍ମାନ ଗୌରବ, ଯଶଃ କୀର୍ତ୍ତି କୌଣସି ବିଷୟର ଅଭାବ ରହିବ ନାହିଁ । ସୈନ୍ୟଗଣ, ଏତେବେଳେ କି ତୁମ୍ଭେମାନେ ସାହସ ହରାଇବ ?’’ ଏତିକିରେ ମଲାଗଛ ଜୀଇଁ ଉଠିଲା । ସୈନ୍ୟମାନଙ୍କ ହୃଦୟରେ ଉତ୍ସାହର ସ୍ରୋତ ବହିଗଲା । ଏହି ସୈନ୍ୟମାନଙ୍କୁ ଘେନି ନେପୋଲିୟନ ଦୁର୍ଭେଦ୍ୟ ଆଲୟ ପର୍ବତ ଅତିକ୍ରମ କରି ଶତ୍ରୁ ସୈନ୍ୟକୁ ଆକ୍ରମଣ କଲେ । ଏଥିରେ ସାର୍ଡିନିଆ ରାଜ୍ୟ ତାଙ୍କର ଅଧୀନତା ସ୍ୱୀକାର କଲା ।

 

ଗୋଟିକ ପରେ ଗୋଟିଏ ଏହିପରି ପନ୍ଦର ଦିନ ମଧ୍ୟରେ ଛଅଟି ଯୁଦ୍ଧରେ ନେପୋଲିୟନ ଜୟଲାଭ କଲେ । କିନ୍ତୁ ବିଜିତ ରାଜ୍ୟ ଉପରେ ଅତ୍ୟାଚାର କରିବା ପାଇଁ ସେ କୌଣସିଠାରେ ନିଜ ସୈନ୍ୟମାନଙ୍କୁ ନିର୍ଦ୍ଦେଶ ଦେଇ ନାହାନ୍ତି । ସେଥିପାଇଁ ସେ କହିଥିଲେ, ‘‘ସୈନ୍ୟଗଣ, ବିଜିତ ରାଜ୍ୟ ଉପରେ ତୁମ୍ଭେମାନେ କୌଣସି ପ୍ରକାର ଅତ୍ୟାଚାର କରିପାରିବ ନାହିଁ-। କଲେ, ବିପନ୍ନ ଲୋକର ଉଦ୍ଧାରକର୍ତ୍ତା ପରିବର୍ତ୍ତରେ ଧ୍ୱଂସକାରୀ ରୂପେ ପରିଗଣିତ ହେବ ।’’

 

ଏହାପରେ ନେପୋଲିୟନ ଅଷ୍ଟ୍ରୀୟ ସୈନ୍ୟମାନଙ୍କ ବିରୁଦ୍ଧରେ ନିଜର ସୈନ୍ୟଚାଳନା କଲେ । ସେତେବେଳେ ଅଷ୍ଟ୍ରୀୟମାନେ ପୋ ନଦୀ ତୀରରେ ଶିବିର ସ୍ଥାପନ କରିଥିଲେ । ସେଠାରେ ନେପୋଲିୟନ ଉପସ୍ଥିତ ହୋଇ ଖଣ୍ଡ ଯୁଦ୍ଧରେ ଅଷ୍ଟ୍ରୀୟ ମାନଙ୍କ ପରାସ୍ତ କଲେ । ଅଷ୍ଟ୍ରୀୟମାନେ ଅସ୍ତବ୍ୟସ୍ତ ହୋଇ ସେଠାରୁ ପଳାଇଗଲେ ଏବଂ ଆଦା ନଦୀ ତୀରବର୍ତ୍ତୀ ଲୋଦିଗ୍ରାମରେ ଅବସ୍ଥାନ କଲେ । ସେମାନେ ଦୁଇଶହଗଜ ଦୀର୍ଘ ଓ ଦଶଗଜ ପ୍ରସ୍ଥ ବିଶିଷ୍ଟ ଗୋଟିଏ କାଠର ସେତୁରେ ପାରିହୋଇ ଫରାସୀମାନଙ୍କୁ ପରାସ୍ତ କରିବା ନିମନ୍ତେ ନଦୀର ଏକପାର୍ଶ୍ୱରେ ଜଗିବସିଲେ । ନେପୋଲିୟନ ସେଠାରେ ପହଞ୍ଚି କଣ କରିବେ ପ୍ରଥମେ କିଛି ସ୍ଥିରକରିପାରିଲେ ନାହିଁ । କିଛିକ୍ଷଣ ଚିନ୍ତା କରିବାପରେ ସେ ସୈନ୍ୟମାନଙ୍କୁ ପୋଲ ଉପରେ ଦେଇ ଚାଳିଯିବାକୁ ଆଦେଶଦେଲେ । ତେଣେ ବିପକ୍ଷ ପକ୍ଷରୁ ଗୋଳା ବର୍ଷଣ ଚାଲିଥାଏ । କିଛିଦୂର ଯିବାପରେ ଆଉ ଅଗ୍ରସର ହେବାକୁ ସୈନ୍ୟମାନେ ରାଜିହେଲେ ନାହିଁ । ଠିକ୍‌ଏହି ସମୟରେ ନେପୋଲିୟନ ସୈନ୍ୟମାନଙ୍କ ଆଗକୁ ଚାଲି ଆସ ଦୃଢ଼ ଭାବରେ କହିଲେ, ‘‘ସୈନ୍ୟଗଣ–ଏପରି ମୁହୂର୍ତ୍ତରେ ନୀରବରେ ଛିଡ଼ା ହେବା କାପୁରୁଷର ଲକ୍ଷଣ । ଅଗ୍ରସର ହୁଅ ।’’ ସୈନ୍ୟମାନଙ୍କ ମଧ୍ୟରୁ କେହି ଜଣେ ଚିତ୍କାର କରିଉଠିଲା, ‘‘ଅସମ୍ଭବ । ନେପୋଲିୟନ ଭ୍ରୂକୁଞ୍ଚିତ କରି କହିଲେ, ‘‘କଣ ଅସମ୍ଭବ ? ଫରାସୀ ଭାଷାର ଅଭିଧାନରେ ଅସମ୍ଭବ ଶବ୍ଦ ନାହିଁ ।’’ ଏତିକିରେ ହଜାର ହଜାର ସୈନ୍ୟ ପ୍ରାଣବଳି ଦେବାକୁ ଆଗେଇ ଆସିଲେ । ଅଷ୍ଟ୍ରୀୟ ସୈନ୍ୟମାନେ ଭୟଭୀତ ହୋଇ ପଛଘୁଞ୍ଚା ଦେଲେ । ଫଳତଃ ଲାମ୍ୱାର୍ଡି ପ୍ରଦେଶ ନେପୋଲିୟନଙ୍କର ହସ୍ତଗତ ହେଲା ।

 

ଏହାପରେ ନେପୋଲିୟନ ମିଶର ଅଭିଯାନ ଆରମ୍ଭ କଲେ । ଏଥିନିମନ୍ତେ ସେ ଚଉଷଠୀ ହଜାର ସୈନ୍ୟ ସଂଗ୍ରହ କରି ୧୭୯୮ ଖ୍ରୀଷ୍ଟାବ୍ଦରେ ଜଳଯାତ୍ରା ଆରମ୍ଭକଲେ । ଦୀର୍ଘ ଚାରି ସପ୍ତାହକାଳ ଜଳଯାତ୍ରା ପରେ ନେପୋଲିୟନ୍‌ ମାଲଟା ବନ୍ଦରରେ ପହଞ୍ଚିଲେ । ଅଳ୍ପଦିନ ମଧ୍ୟରେ ସେଠାକାର ଅଧିବାସୀମାନଙ୍କ ସହିତ ତାଙ୍କର ସଦ୍‌ଭାବ ଜନ୍ମିଲା । କିଛିଦିନ ପରେ ସେ ୩ ହଜାର ଫରାସୀ ସୈନ୍ୟଙ୍କୁ ମାଲ୍‌ଟା ଦ୍ୱୀପରେ ରଖି ଆଲେକଜାଣ୍ଡ୍ରିଆ ଅଭିମୁଖରେ ଯାତ୍ରାକଲେ । ଯୁଦ୍ଧପୂର୍ବରୁ ସେ ସେମାନଙ୍କୁ ଏହି ଉପଦେଶ ଦେଲେ ଯେ ସେମାନେ କୌଣସି ଧର୍ମମତର ପ୍ରତିବାଦ କରିବେ ନାହିଁ, ଲୋକଙ୍କର ଆଚାର ଓ ବ୍ୟବହାର ପ୍ରତି ଅବଜ୍ଞା ପ୍ରକାଶ କରିବେ ନାହିଁ କି କାହାର ସମ୍ପତ୍ତି ଲୁଣ୍ଠନ କରିବାକୁ ପ୍ରୟାସୀ ହେବେ ନାହିଁ ଏବଂ ଏହିକଥା ସେ ମିଶରବାସୀଙ୍କୁ ଜଣାଇ ଦେଇଥିଲେ । ଏହା ଶୁଣି ମିଶରବାସୀ ତାଙ୍କ ପ୍ରତି ବିଶେଷ ଅନୁରକ୍ତ ହୋଇପଡ଼ିଲେ । ଦେଖୁ ଦେଖୁ ବିନା ରକ୍ତପାତରେ ଆଲେକଜାଣ୍ଡ୍ରିଆ ଅଧିକୃତ ହେଲା । ତତ୍‌ପରେ ନେପୋଲିୟନ ମିଶରରେ ବନ୍ଦର ଓ ଦୁର୍ଗର ସଂସ୍କାର, ବିଦ୍ୟାଳୟ ସ୍ଥାପନ ଇତ୍ୟାଦି ବିଭିନ୍ନ ଲୋକହିତକର କାର୍ଯ୍ୟ କରାଇଲେ ।

 

ଏହାପରେ ନେପୋଲିୟନ ଭୂମଧ୍ୟସାଗରରେ ପଞ୍ଚାଶ ଦିନ କଟାଇ ୧୭୯୯ ଖ୍ରୀଷ୍ଟବ୍ଦରେ ଫ୍ରାନ୍‌ସର ଫ୍ରେରିସ୍‌ ବନ୍ଦରରେ ପହଞ୍ଚିଲେ । ନଗରର ଆବାଳବୃଦ୍ଧ ବନିତା ସମବେତ ହୋଇ ତାହାଙ୍କୁ ଅଭିନନ୍ଦନ ଜଣାଇଲେ । ନେପୋଲିୟନ ପାରିସ ସହରରେ ପହଞ୍ଚିବା ବେଳେ ସହସ୍ର ସହସ୍ର ଲୋକ ରାଜପଥରେ ତାଙ୍କ ପ୍ରତୀକ୍ଷାରେ ଥାନ୍ତି । ‘‘ଇଟାଲିର ଉଦ୍ଧାରକର୍ତ୍ତା,’ ‘ମିଶର ବିଜୟୀ,’ ‘ଫ୍ରନ୍‌ସର ସ୍ୱାଧୀନତା ଦାତା’ ମହାବୀର ନେପୋଲିୟନ ଦୀର୍ଘଜୀବୀ ହୁଅନ୍ତୁ’’ ।

 

ନେପୋଲିୟନ ଫ୍ରାନସରେ ପହଞ୍ଚି ପ୍ରଥମେ ଶାସନକଳ ବଦଳାଇଲେ । ତାଙ୍କ ଭୟରେ ବିରୋଧୀଦଳ ସଭ୍ୟପଦରୁ ଇସ୍ତଫାଦେଲେ । ଅନ୍ୟମାନେ ସର୍ବଦା ତାଙ୍କର ପକ୍ଷ ସମର୍ଥନ କଲେ । ବିନା ଯୁଦ୍ଧ ବା ରକ୍ତପାତରେ ଫ୍ରାନ୍‌ସବାସୀ ତାଙ୍କୁ ପ୍ରଥମ କନ୍‌ସଲ ବା କର୍ତ୍ତାପଦରେ ନିଯୁକ୍ତ କଲେ । ତାଙ୍କୁ ପରାମର୍ଶ ଦେବାପାଇଁ ଗୋଟିଏ ମନ୍ତ୍ରୀ ମଣ୍ଡଳ ଗଢ଼ାଗଲା । କିନ୍ତୁ ନେପୋଲିୟନ ଏଥିର ସର୍ବେସର୍ବା ହେଲେ । ତାଙ୍କ ନିର୍ଦ୍ଦେଶାନୁସାରେ ମନ୍ତ୍ରୀମଣ୍ଡଳ ପରିଚାଳିତ ହେଲା ।

 

ଏଣିକି ନେପୋଲିୟନ ଇଂଲଣ୍ଡ ଓ ଅଷ୍ଟ୍ରିୟା ସହିତ ସଦ୍‌ଭାବ ଜନ୍ମାଇବା ପାଇଁ ଚେଷ୍ଟାକଲେ । କାରଣ ଉକ୍ତ ରାଜ୍ୟଦ୍ୱୟ ସହିତ ଫ୍ରାନସର ସବୁବେଳେ ବିବାଦ୍‌ ଲାଗିରହିଥିଲା । ଶାନ୍ତିପ୍ରତିଷ୍ଠା ନିମନ୍ତେ ସେ ଗୋଟିଏ ପତ୍ର ଲେଖି ଇଂଲଣ୍ଡକୁ ଜଣାଇଲେ । ଅଷ୍ଟ୍ରିୟାକୁ ନ ପଚାରି ପତ୍ରର ଉତ୍ତର ଦେଇପାରିବ ନାହିଁ ବୋଲି ଇଂଲଣ୍ଡ ଜବାବ ଦେଲା । ନେପୋଲିୟନ ଏଥିରେ ବଡ଼ ବିବ୍ରତ ହୋଇ ପଡ଼ିଲେ । କାରଣ ସେ ଦେଖିଲେ ସମୁଦାୟ ଇଉରୋପ ଫ୍ରାନସ ବିରୁଦ୍ଧରେ ଛିଡ଼ା ହେବାପାଇଁ ଚେଷ୍ଟା କରିଆସୁଅଛି । ନେପୋଲିୟନ ଶାନ୍ତି ପ୍ରତିଷ୍ଠାର କୌଣସି ଉପାୟ ନ ଦେଖି ଯୁଦ୍ଧପାଇଁ ପ୍ରସ୍ତୁତ ହେଲେ । ସେତେବେଳକୁ ଇଉରୋପର ବିଭିନ୍ନ ଶକ୍ତି ଫ୍ରାନ୍‌ସ ଚାରିପାଖେ ଜଗି ରହିଥାନ୍ତି । ଶତ୍ରୁ ସୈନ୍ୟଙ୍କୁ ସମ୍ମୁଖ ସମରରେ ପରାସ୍ତ କରିବା ଅସମ୍ଭବ । ସୁତରାଂ ସେ ଆଲପ୍‌ସ ଗିରି ଲଙ୍ଘନ କରି ଅତର୍କିତ ଭାବରେ ଆକ୍ରମଣ କରିବାକୁ ମନସ୍ଥ କଲେ । ସେ ସମୟରେ ଆଲପ୍‌ସ ଗିରି ଅତିକ୍ରମ କରିବା ମନୁଷ୍ୟର କଳ୍ପନାତୀତ ଥିଲା, କାରଣ ଏହାର ଉପରିଭାଗ ସର୍ବଦା ବରଫରେ ଆବୃତ ଓ ନିମ୍ନଭାଗ ଘନ ଜଙ୍ଗଲରେ ପୂର୍ଣ୍ଣ । ତଥାପି ଏହି ଗିରି ଲଙ୍ଘନ କରିବାକୁ ସେ ସୈନ୍ୟମାନଙ୍କୁ ଆଦେଶ ଦେଲେ । ପର୍ବତ ଉପରେ ଥିବା ଗୋଟିଏ ମଠରେ ସୈନ୍ୟମାନଙ୍କ ପାଇଁ ଖାଦ୍ୟ ଓ ପାନୀୟର ବ୍ୟବସ୍ଥା ଆଗରୁ କରାଯାଇଥିଲା । ନାନା ଦୁଃଖ କଷ୍ଟରେ ସେମାନେ ଆଲପ୍‌ସ ଗିରି ଲଙ୍ଘନ କରି ଗୋଟିଏ ସଂକୀର୍ଣ୍ଣ ପଥରେ ଆସି ପହଞ୍ଚିଲେ । ଆଗରେ ଅଷ୍ଟ୍ରିୟା ରାଜାଙ୍କର ଗୋଟିଏ ଦୁର୍ଗ । ଏହା ହିଁ ନେପୋଲିୟନଙ୍କର ଲକ୍ଷ୍ୟସ୍ଥଳ । ଏଠାରେ ଫରାସୀମାନେ ଅଷ୍ଟ୍ରୀୟ ସୈନ୍ୟମାନଙ୍କ ଦ୍ୱାରା ଦୁଇଥର ପରାସ୍ତ ହୋଇ ପଛଘୁଞ୍ଚା ଦେଲେ । ଅଷ୍ଟ୍ରିୟ ସେନାପତି ଫରାସୀମାନେ ପରାସ୍ତ ହୋଇଗଲେ ମନେକରି ଯୁଦ୍ଧରୁ କ୍ଷାନ୍ତ ହେବାପାଇଁ ସୈନ୍ୟମାନଙ୍କୁ ଆଦେଶ ଦେଲେ । ଅଷ୍ଟ୍ରୀୟ ସୈନ୍ୟ ସତର୍କ ନଥିବା ଅବସ୍ଥାରେ ଫରାସୀମାନେ ବୁଲିପଡ଼ି ଆକ୍ରମଣ କଲେ । ଅଷ୍ଟ୍ରୀୟମାନେ ପଳାଇ ଯିବାର ଉପାୟ ନ ଦେଖି ନେପୋଲିୟନଙ୍କ ସହିତ ସନ୍ଧିକଲେ । ୧୮୦୦ ଖ୍ରୀଷ୍ଟାବ୍ଦରେ ନେପୋଲିୟନ ପୁନରାୟ ଏକଲକ୍ଷ କୋଡ଼ିଏ ହଜାର ଅଷ୍ଟ୍ରୀୟ ସୈନ୍ୟଙ୍କୁ ପରାସ୍ତକରି ସମସ୍ତ ଇଟାଲିରେ ନିଜର ଆଧିପତ୍ୟ ବିସ୍ତାର କଲେ । ଫ୍ରାନ୍‌ସ ସହିତ ଯୁଦ୍ଧ ଚାଲୁରଖିବାପାଇଁ ଅଷ୍ଟ୍ରିୟାକୁ ଇଂଲଣ୍ଡ ସୈନ୍ୟ ଓ ଅର୍ଥସାହାଯ୍ୟ କରୁଥିଲା । ନେପୋଲିୟନ ଅଷ୍ଟ୍ରିୟା ସହିତ ସନ୍ଧି ଚାହିଁବାରୁ ଅଷ୍ଟ୍ରିୟା ଇଂଲଣ୍ଡକୁ ଜଣାଇ ଜବାବ ଦେବ ବୋଲି ସ୍ୱୀକୃତ ହେଲା । ନେପୋଲିୟନ ଏହା ଶୁଣି କ୍ରୋଧରେ ଅସ୍ଥିର ହୋଇପଡ଼ିଲେ । କିନ୍ତୁ ପରେ କ୍ରୋଧକୁ ଚପାଇ ରଖି ଇଂଲଣ୍ଡ ଓ ଅଷ୍ଟ୍ରିୟାର ଚକ୍ରାନ୍ତ ଦମନ କରିବା ନିମନ୍ତେ ନାନା ଉପାୟ ଚିନ୍ତା କରିବାକୁ ଲାଗିଲେ । କିଛିଦିନପରେ ନେପୋଲିୟନ ବହୁ ସଂଖ୍ୟକ ସୈନ୍ୟ ଘେନି ସମୁଦାୟ ଅଷ୍ଟ୍ରିୟା ବିରୁଦ୍ଧରେ ଯୁଦ୍ଧ ଘୋଷଣା କଲେ । ଦେଶ ଦେଶ ମଧ୍ୟରେ ପୁନର୍ବାର ରକ୍ତର ନଦୀ ପ୍ରବାହିତ ହେଲା । ପରିଶେଷରେ ଅଷ୍ଟ୍ରିୟା ଫ୍ରାନ୍‌ସ ସହିତ ଏକ ସନ୍ଧି କଲା । ତାହାକୁ ‘ରାଇନ’ ସନ୍ଧି କହନ୍ତି । ଏହି ଚୁକ୍ତି ଅନୁସାରେ କେବଳ ଇଂଲଣ୍ଡକୁ ଛାଡ଼ିଦେଲେ ବାକି ଇଉରୋପର ସମସ୍ତ ଶକ୍ତି ଫ୍ରାନ୍‌ସ ସହିତ ସନ୍ଧି କଲେ । କାରଣ ଇଉରୋପର ବିଭିନ୍ନ ଶକ୍ତି ନାନା କାରଣରୁ ଇଂଲଣ୍ଡ ଉପରେ ବଡ଼ ବିରକ୍ତ ଥିଲେ । ବର୍ତ୍ତମାନ ନେପୋଲିୟନକୁ ଇଂଲଣ୍ଡ ଉପରେ ପ୍ରତିହିଂସା ନେବାକୁ ସୁବିଧା ମିଳିଲା । ଇଂଲଣ୍ଡ ବଡ଼ କୌଶଳୀ । ସେ ଫ୍ରାନ୍‌ସ ଆକ୍ରମଣ ନିମିତ୍ତ ଆଗରୁ ପ୍ରସ୍ତୁତ ଥିଲା । ଇଂଲଣ୍ଡର ବିଚକ୍ଷର ସେନାପତି ନେଲସନ ଏ ଯୁଦ୍ଧରେ ଜୟଲାଭ କଲେ । ଫଳରେ ଇୁରୋପର ବିଭିନ୍ନ ଶକ୍ତି ଫ୍ରାନ୍‌ସ ପକ୍ଷ ନ ନେଇ ଇଂଲଣ୍ଡକୁ ପୁନରାୟ ସମର୍ଥନ କଲେ । ସେମାନଙ୍କର ବିଶ୍ୱାସଘାତକତାରେ ନେପୋଲିୟନ ନିରାଶ ନ ହୋଇ ଇଂଲଣ୍ଡ ବିରୁଦ୍ଧରେ ଯୁଦ୍ଧକରିବା ପାଇଁ ସମସ୍ତ ଆୟୋଜନ କଲେ । ନେଲ୍‌ସନଙ୍କ ସହିତ ତାଙ୍କର ଦୁଇଥର ସଂଘର୍ଷ ଘଟିଲା । ପରିଶେଷରେ ନେଲ୍‌ସନ ପରାଜିତ ହେଲେ ଏବଂ ଇଂଲଣ୍ଡ ନେପୋଲିୟନଙ୍କ ସହିତ ସନ୍ଧି ସ୍ଥାପନ କଲା । ପୁରସ୍କାର ରୂପେ ଫ୍ରାନ୍‌ସ ନେପୋଲିୟନଙ୍କୁ ପ୍ରଥମ କନ୍‌ସାଲ ପଦରେ ନିଯୁକ୍ତ କଲା ।

 

ଇଂଲଣ୍ଡ ପରାସ୍ତ ହେଲା ସତ, କିନ୍ତୁ ସହିତ ବୈର ଭାବ ତାର ସେହିପରି ରହିଲା । ଇଂଲଣ୍ଡ ନାନା ଉପାୟରେ ଫ୍ରାନ୍‌ସକୁ ହଇରାଣ କଲା । ଇଂରେଜମାନଙ୍କ ଦ୍ୱାରା ଫରାସୀ ବଣିକମାନଙ୍କର ବାଣିଜ୍ୟପୋତ ସମୂହ ଆକ୍ରମଣ ଓ ଲୁଣ୍ଠନ କରାଗଲା । ନେପୋଲିୟନ ଇଚ୍ଛା କରିଥିଲେ ଯେ ଇଂଲଣ୍ଡ ଓ ଫ୍ରାନ୍‌ସ ମଧ୍ୟରେ ଥିବା ଶତ୍ରୁତା ବିନା ରକ୍ତପାତରେ ମେଣ୍ଟଯିବ । ସୁତରାଂ ସେ ପାରିସରେ ଥିବା ଇଂରେଜ ରାଜଦୂତଙ୍କୁ ଡକାଇ ନିଜର ଇଚ୍ଛା ଜଣାଇଲେ । କିନ୍ତୁ ଇଂଲଣ୍ଡ ତାଙ୍କ କଥାରେ କର୍ଣ୍ଣପାତ କଲା ନାହିଁ । ଅଗତ୍ୟା ନେପୋଲିୟନ ଇଂଲଣ୍ଡ ସହିତ ଯୁଦ୍ଧ କରିବାକୁ ପୁନରାୟ ପ୍ରସ୍ତୁତ ହେଲେ । ଏଥିରେ ଇଉରୋପର ବିଭିନ୍ନ ଶକ୍ତି ଫ୍ରାନ୍‌ସ ସହିତ ସହଯୋଗ କଲେ । ଇଉରୋପର ଏ ସମବେତ ଚେଷ୍ଟା ଦେଖି ଇଂଲଣ୍ଡ ବିବ୍ରତ ହୋଇପଡ଼ିଲା । ଏହି ସମୟରେ ନେପୋଲିୟନଙ୍କର ବିରୁଦ୍ଧ ଦଳର ନେତାମାନେ ତାଙ୍କ ପ୍ରାଣ ନାଶର ଚେଷ୍ଟା କରିଥିଲେ, ମାତ୍ର ପରେ ତାଙ୍କର ଏ ଚକ୍ରାନ୍ତ ବୃଥା ହୋଇଥିଲା । ଇଂଲଣ୍ଡ ପୁନର୍ବାର ନେପୋଲିୟନଙ୍କ ଦ୍ୱାରା ପରାଜୟ ଲାଭକଲା ।

 

ବର୍ତ୍ତମାନ ଫ୍ରାନ୍‌ସବାସୀ ନେପୋଲିୟନଙ୍କୁ ସମ୍ରାଟ କରିବା ପାଇଁ ଇଚ୍ଛା ପ୍ରକାଶ କଲେ । ସେ ଫ୍ରାନ୍‌ସର ସମସ୍ତ କ୍ଷମତା ଗ୍ରହଣ କରିବା ପୂର୍ବରୁ ପ୍ରତ୍ୟେକ ଇଉରୋପୀୟ ରାଜାଙ୍କର ମତ ଲୋଡ଼ିଲେ । ଫ୍ରାନ୍‌ସର ସିନେଟ ସଭା ଏକ ପ୍ରଚାର ପତ୍ର ଘୋଷଣା କଲା- ନେପୋଲିୟନ ଏଣିକି ସମ୍ରାଟ ହେବେ ଏବଂ ଫ୍ରାନ୍‌ସର ସମସ୍ତ ଦାୟିତ୍ୱ ବହନ କରିବେ ।

 

୧୮୦୪ ଖ୍ରୀଷ୍ଟାବ୍ଦ ମେ ମାସ ୧୮ ତାରିଖ ପକ୍ଷରେ ଏକ ସ୍ମରଣୀୟ ଦିବସ । ସେହିଦିନ ସିନେଟ ସଭ୍ୟମାନେ ନେପୋଲିୟନଙ୍କୁ ସମ୍ରାଟ ପଦରେ ଅଭିଷିକ୍ତ କରି ଏକ ସନନ୍ଦପତ୍ର ପାଠ କଲେ । ‘ସମ୍ରାଟ ଦୀର୍ଘଜୀବୀ ହୁଅନ୍ତୁ’ ଶବ୍ଦରେ ସଭାଗୃହ ମୁଖରିତ ହେଲା । ସେହି ବର୍ଷ ଡିସେମ୍ୱର ମାସ ଦୁଇ ତାରିଖରେ ନୋଟର ଡାମଠାରେ ତାଙ୍କର ଅଭିଷେକ କାର୍ଯ୍ୟ ସମ୍ପନ୍ନ ହେଲା । ରୋମର ପୋପ୍‌ସପ୍ତମ ପାଏସ୍‌ ନେପୋଲିୟନ ଓ ତାଙ୍କ ପତ୍ନୀ ଯୋସେଫିନଙ୍କ ମସ୍ତକରେ ରାଜମୁକୁଟ ସ୍ଥାପନ କଲେ । ଏତେଦିନ ପରେ ନେପୋଲିୟନଙ୍କ ଅଭିଳାଷ ସିଦ୍ଧ ହେଲା ।

 

ଯେତେଚେଷ୍ଟା କଲେ ହେଁ ଇଂଲଣ୍ଡ ସହିତ ଫ୍ରାନ୍‌ସର ସଦ୍‌ଭାବ ଜାତ ହୋଇ ପାରିଲା ନାହିଁ । ଇଂଲଣ୍ଡ ଏଣେ ଋଷିଆ, ଅଷ୍ଟ୍ରିୟା, ସୁଇଡେନ ପ୍ରଭୃତି ଶକ୍ତିର ସାହାଯ୍ୟ ନେଲା । ଏମାନେ ପ୍ରକାଶ୍ୟ ଭାବରେ ଯୁଦ୍ଧ ନ କରି ବିଭିନ୍ନ ଦିଗରେ ଫ୍ରାନ୍‌ସକୁ ଆକ୍ରମଣ କରିବାକୁ ଚେଷ୍ଟାକଲେ । ଅଷ୍ଟ୍ରୀୟମାନେ ରାଇନ ନଦୀ ତୀରରେ ଶିବିର ସ୍ଥାପନ କଲେ । ନେପୋଲିୟନ ଏହା ଜାଣିପାରି ହଠାତ୍‌ ଅଷ୍ଟ୍ରୀୟ ମାନଙ୍କୁ ଆକ୍ରମଣ କଲେ । ଅଷ୍ଟ୍ରୀୟମାନେ ପଳାଇ ଯିବାର ଉପାୟ ନ ଦେଖି ଆତ୍ମସମର୍ପଣ କଲେ । ଏହା ଫଳରେ ନେପୋଲିୟନ ସେମାନଙ୍କଠାରୁ ଉଲମ ରାଜ୍ୟ ପାଇଲେ । ଏହାପରେ ଋଷ ସୈନ୍ୟମାନଙ୍କ ସହିତ ସେ ଯୁଦ୍ଧ ଆରମ୍ଭକଲେ । ୧୮୦୬ ଖ୍ରୀଷ୍ଟାବ୍ଦରେ ପ୍ରୁସିଆ ସମ୍ରାଟ ଫ୍ରାନ୍‌ସ ବିରୁଦ୍ଧରେ ସୈନ୍ୟ ଚାଳନାକଲେ । ଏଥିରେ ଋଷିଆ ତାହାକୁ ସାହାଯ୍ୟ କଲା । ନେପୋଲିୟନ ପ୍ରୁସିଆ ସୈନ୍ୟମାନଙ୍କୁ ଏପରି ଆକ୍ରମଣ କଲେ ଯେ, ସେଥିରେ ସେମାନେ ଧ୍ୱସ୍ତ ବିଧ୍ୱସ୍ତ ହୋଇ ଯୁଦ୍ଧ କ୍ଷେତ୍ରରୁ ପଳାୟନ କଲେ । ଫ୍ରାନ୍‌ସ ସୈନ୍ୟମାନେ ନୃଶଂସ ଭାବରେ ସେମାନଙ୍କୁ ହତ୍ୟା କରିବାରେ ଲାଗିଲେ ।

 

ଠିକ୍‌ ଏହି ସମୟରେ ଋଷିଆ ସମ୍ରାଟଙ୍କର ବୃହତ ଅଭିମାନ ଫ୍ରାନ୍‌ସ ବିରୁଦ୍ଧରେ ପରିଚାଳିତ ହେଲା । ନେପୋଲିୟନ ଏହାର ପ୍ରତିରୋଧ କଲେ । ତୁମୁଳ ଯୁଦ୍ଧ ହେଲା । ଉଭୟ ପକ୍ଷରୁ ବହୁ ସୈନ୍ୟ ନିହତ ହେଲେ ଏବଂ ଏହିଯୁଦ୍ଧରେ ଫ୍ରାନ୍‌ସ ଜୟଲାଭ କଲା । ଋଷିଆ ଓ ପ୍ରୁସିଆ ବାରମ୍ୱାର ପରାସ୍ତ ହେଉଥିଲେ ସୁଦ୍ଧା ସେମାନଙ୍କର ପ୍ରତିହିଂସା ପ୍ରବୃତ୍ତି କ୍ରମଶଃ ବଢ଼ୁଥାଏ । ଦିନେ ହଠାତ୍‌ ସେମାନେ ଏକତ୍ର ହୋଇ ଫ୍ରାନ୍‌ସ ବିରୁଦ୍ଧରେ ଯୁଦ୍ଧ ଘୋଷଣା କଲେ । ଏଗାରଦିନ ଅବିଶ୍ରାନ୍ତ ଭାବରେ ଯୁଦ୍ଧ ଚାଲିଲା । ଫ୍ରାନ୍‌ସ ସୈନ୍ୟମାନେ ସବୁବେଳେ ଯୁଦ୍ଧକୁ ପ୍ରସ୍ତୁତ ରହିଥାନ୍ତି । ଏଣିକି ଯୁଦ୍ଧର ବିରାମ ନାହିଁ, ସ୍ଥାନ ନାହିଁ, ସକାଳ ଓ ସନ୍ଧ୍ୟା, ଦିନ ଓ ରାତି, ବଣ ପାହାଡ଼, ସବୁଠି ସବୁସମୟରେ ଯୁଦ୍ଧ ଲାଗି ରହିଲା । ଫ୍ରାନ୍‌ସ ସୈନ୍ୟମାନଙ୍କ ଆକ୍ରମଣରେ ଋଷିଆ ସୈନ୍ୟ ଅସ୍ତବ୍ୟସ୍ତ ହୋଇଗଲେ । ଋଷ୍‌ ସମ୍ରାଟ ଆଲେକଜାଣ୍ଡର ରକ୍ଷା ପାଇବାର ଉପାୟ ନ ଦେଖି ସନ୍ଧି ପ୍ରସ୍ତାବ କଲେ । କିଛି ଦିନ ପରେ ଆଲେକ୍‌ଜାଣ୍ଡର ନେପୋଲିୟନଙ୍କ ପ୍ରତିଭା ନିକଟରେ ମୁଣ୍ଡ ନୁଆଁଇଲେ ।

 

ଏହାପରେ ନେପୋଲିୟନ ପର୍ତ୍ତୁଗାଲ ଓ ସ୍ପେନ ଅଧିକାର କଲେ । ଅଷ୍ଟ୍ରିଆ ଇଂଲଣ୍ଡର ସାହାଯ୍ୟ ପାଇ ବିଦ୍ରୋହ ଆରମ୍ଭ କଲା । ନେପୋଳିୟନ ଆଗରୁ ଏକଥା ଜାଣିପାରିଲେ । ଯୁଦ୍ଧଭୂମିରେ କରୁଣ ଚିତ୍ର ଦେଖି ଦେଖି ତାଙ୍କ ମନରେ ଯୁଦ୍ଧ ପ୍ରତି ଘୃଣା ଆସିଥିଲା ସତ, କିନ୍ତୁ ଯୁଦ୍ଧ ବିନା ଶତ୍ରୁକୁ ଆୟତ୍ତ କରିବା ଦୁଃସାଧ୍ୟ ମନେକରି ସେ ଯୁଦ୍ଧ କରିବାକୁ ବାହାରି ପଡ଼ିଲେ । ଅଷ୍ଟ୍ରୀୟମାନେ ରକ୍ଷାର ଉପାୟ ନ ଦେଖି ରାଟିସ୍‌ ବନ ଅଭିମୁଖରେ ଧାବିତ ହେଲେ । ନେପୋଲିୟନ ସେମାନଙ୍କୁ ଅନୁସରଣ କରି ଭିଏନାରେ ପହଞ୍ଚିଲେ । ସେ ନଗର ମଧ୍ୟରେ ପ୍ରବେଶ କରି ରାଜପ୍ରାସାଦ ଓ ରାଜକୀୟ ସମସ୍ତ ସମ୍ପତ୍ତି ହସ୍ତଗତ କଲେ । ଅଷ୍ଟ୍ରୀୟ ସମ୍ରାଟ ବାଧ୍ୟ ହୋଇ ୧୮୦୯ ଖ୍ରୀଷ୍ଟାବ୍ଦରେ ଫ୍ରାନ୍‌ସ ସହିତ ସନ୍ଧି କଲେ ।

 

ଏପର୍ଯ୍ୟନ୍ତ ନେପୋଲିୟନ ଜନକ ହୋଇ ପାରି ନ ଥିଲେ । ତାଙ୍କର ବିବାହିତା ପତ୍ନୀ ଯୋଷେଫିନଙ୍କର ପୂର୍ବସ୍ୱାମୀଙ୍କ ଔରସରେ ଗୋଟିଏ ପୁତ୍ର ଏବଂ ଗୋଟିଏ କନ୍ୟା ଥିଲେ ହେଁ ସେ ଦୁହିଁଙ୍କୁ ଉତ୍ତରାଧିକାରୀ ରୂପେ ଗ୍ରହଣ କରିବା ନିମନ୍ତେ ଦେଶବାସୀ ଅନିଚ୍ଛା ପ୍ରକାଶ କଲେ । ସୁତରାଂ ନେପୋଲିୟନ ଦ୍ୱିତୀୟ ଦାର ପରିଗ୍ରହ କରିବା ନିମନ୍ତେ ବାଧ୍ୟ ହେଲେ । କିନ୍ତୁ ଯୋଷେଫିନ୍‌ଙ୍କୁ ପରିତ୍ୟାଗ କରିବା ତାଙ୍କ ପକ୍ଷରେ ଗଭୀର ପରିତାପର ବିଷୟ । ଯେଉଁ ଦିନ ଯୋଷେଫିନ ସ୍ୱାମୀଙ୍କ ଠାରୁ ବିଦାୟ ଘେନି ଏକ ପଲ୍ଲୀର ଗୋଟିଏ ଅଟ୍ଟାଳିକା ମଧ୍ୟରେ ବାସକଲେ, ସେଦିନ ତାଙ୍କ ନୟନ ଦୁଇଟିରୁ ଅବାରିତ ଲୋତକଧାରା ବହିବାକୁ ଲାଗିଲା । ସେ ହୃଦୟରେ ଗଭୀର ବେଦନା ଅନୁଭବ କଲେ । ନେପୋଲିୟନ ସହଧର୍ମିଣୀଙ୍କୁ ବିଦାୟ ଦେଇ ପାରିସ୍‌ରେ ତାଙ୍କପାଇଁ ଗୋଟିଏ ପ୍ରସାଦ ନିର୍ମାଣ କରାଇଲେ ଏବଂ ବାର୍ଷିକ ବ୍ୟୟ ସ୍ୱରୂପ ତିରିଶ ଲକ୍ଷ ମୁଦ୍ରା ଦେଲେ । ଏହାପରେ ସେ ଅଷ୍ଟ୍ରୀଆ ରାଜକୁମାରୀଙ୍କୁ ବିବାହ କଲେ ।

 

ଋଷ ସମ୍ରାଟ ଆଲେକଜାଣ୍ଡର ମନେକରିଥିଲେ ଯେ ସେ ନେପୋଲିୟନଙ୍କ ସହିତ ମୈନ୍ତ୍ରୀଭାବ ସ୍ଥାପନ କରି ତାଙ୍କଠାରୁ ବିଶେଷ ସୁବିଧା ହାସଲ କରିବେ । କିନ୍ତୁ ତାହା ନ ହେବାରୁ ଓ ତାଙ୍କର ଅଷ୍ଟ୍ରୀୟା ସହିତ ବନ୍ଧୁତା ସ୍ଥାପନ ଦେଖି ଆଲେକଜାଣ୍ଡର ବିଦ୍ରୋହର ସୂତ୍ରପାତ କଲେ । ଏହା ନେପୋଲିୟନଙ୍କର ଅଜ୍ଞାତ ରହିଲା ନାହିଁ । ଏହି ସମୟରେ ଫ୍ରାନସର ଚିର ଶତ୍ରୁ ଇଂଲଣ୍ଡ ଆଲେକଜାଣ୍ଡରଙ୍କ ନିକଟକୁ ଦୂତ ପଠାଇ ମୈନ୍ତ୍ରୀ ସ୍ଥାପନ କଲା । ଏହା ଦେଖି ନେପୋଲିୟନ ପୁନର୍ବାର ଯୁଦ୍ଧପାଇଁ ପ୍ରସ୍ତୁତ ହେଲେ । ଏଥର ସେ ବିରାଟ ସେନା ବାହିନୀର ଆୟୋଜନ କରିଥିଲେ-। ରୁଷ ଓ ଫ୍ରାନ୍‌ସ ମଧ୍ୟରେ ତୁମୁଳ ଯୁଦ୍ଧ ଲାଗିଲା । ଶେଷରେ ବିଜୟଲକ୍ଷ୍ମୀ ନେପୋଲିୟନଙ୍କ ପ୍ରତି ବରଦା ହେଲେ । ରୁଷ ସେନା ପରାଜୟ ଲାଭକରି ରାଜଧାନୀ ମସ୍କୋ ଅଭିମୁଖରେ ଧାବିତ ହେଲେ ଏବଂ ଫ୍ରାନସ ସୈନ୍ୟ ସେମାନଙ୍କର ପଶ୍ଚାଦ୍ଧାବନ କଲେ ।

 

ଏହିପରି ନେପୋଲିୟନଙ୍କୁ ଜୀବନନାରା ଯୁଦ୍ଧରେ ବ୍ୟାପୃତ ରହିବାକୁ ପଡ଼ିଲା । ଶତ୍ରୁ ସୈନ୍ୟଙ୍କର ବାରମ୍ବାର ଆକ୍ରମଣ ଯୋଗୁଁ ନେପୋଲିୟନ କ୍ରମେ ବଡ଼ ବିଦ୍ରତ ହୋଇପଡ଼ିଲେ । ପୃଥିବୀରେ ଶାନ୍ତି ପ୍ରତିଷ୍ଠା ନିମନ୍ତେ ଯେଉଁ ବାସନା ତାହାଙ୍କ ମନରେ ପିଲାଦିନରୁ ଜାଗ୍ରତ ହୋଇଥିଲା ତାହା ଅପୂର୍ଣ୍ଣ ରହିଲା । ଇଉରୋପୀୟ ରାଜ୍ୟମାନେ ଏକତ୍ର ହୋଇ ନେପୋଲିୟମଙ୍କ ବିନାଶ ପାଇଁ ଚେଷ୍ଟାକଲେ । ଏଥି ନିମନ୍ତେ ନାନା ଅସ୍ତ୍ର ଶସ୍ତ୍ର ତିଆରି କରାଗଲା । ସମବେତ ଶକ୍ତି ତିନିଲକ୍ଷ ସୈନ୍ୟ ଘେନି ପାରିସ୍ ଅବରୋଧ କରିବାକୁ ସ୍ଥିର କଲେ । ତାହା ହିଁ ହେଲା । ନେପୋଲିୟନ ସେତେବଳେ ପାରିସ୍‌ଠାରୁ ୨୦୦ ମାଇଲ ଦୂରରେ ଥାନ୍ତି । ଏ ଖବର ପାଇ ସେ ଦ୍ରୁତଗତିରେ ପାରିସକୁ ଫେରି ଆସିଲେ । କିନ୍ତୁ ସେଠାରେ ପହଞ୍ଚିବା ପୂର୍ବରୁ ତାହା ଶତ୍ରୁସୈନ୍ୟଙ୍କଦ୍ୱାରା ଅଧିକୃତ ହୋଇଥିଲା । ନେପୋଲିୟନ ଅଗତ୍ୟା ଆଲେକଜାଣ୍ଡରଙ୍କ ସହିତ ସନ୍ଧି ପ୍ରସ୍ତାବ କଲେ । ସେତେବେଳକୁ ଫ୍ରାନ୍‌ସର ଗୌରବ ରବି ଅସ୍ତମିତ ହେବା ଉପରେ । କେତେକ ଫ୍ରାନ୍‌ସବାସୀ ନେପୋଲିୟନଙ୍କ ସମାଜ ବିରୋଧୀ ଓ ବିଶ୍ୱ ଶାନ୍ତି ପ୍ରତିଷ୍ଠା ବିରୋଧୀ ବୋଲି ମତ ଦେଲେ । ଋଷ ସମ୍ରାଟ ଆଲେକଜାଣ୍ଡର ତାଙ୍କ ପାଖକୁ ଲେଖି ଜଣାଇଲେ, ‘‘ନେପୋଲିୟନ ମୋର ବନ୍ଧୁ । ମୁଁ ତାଙ୍କୁ କଦାପି ସମ୍ରାଟ ପଦରୁ ବଞ୍ଚିତ କରାଇ ଦେବି ନାହିଁ । ସେ ଫ୍ରାନ୍‌ସ ଛାଡ଼ି ଏଲ୍‌ବା କିମ୍ବା ଅନ୍ୟ କୌଣସି ଦ୍ୱୀପର ରାଜତ୍ୱ କରିବେ ।’’ ନେପୋଲିୟନ ଏଥିରେ ମର୍ମାହତ ହୋଇ ପଡ଼ିଲେ ଏବଂ ସିଂହାସନ ପରିତ୍ୟାଗ କରିବାକୁ ରାଜନ୍ୟବର୍ଗଙ୍କ ନିକଟକୁ ଲେଖି ଜଣାଇଲେ । ଶେଷରେ ନେପୋଲିୟନ ଫ୍ରାନ୍‌ସ ଛାଡ଼ି ଏଲ୍‌ବା ଦ୍ୱୀପରେ ପହଞ୍ଚିଲେ । ସେଠାରେ ସେ ଏକହଜାର ସୈନ୍ୟ ସଂଗ୍ରହ କଲେ । ଏମାନଙ୍କୁ ଧରି ନେପୋଲିୟନ ପୁନର୍ବାର ଫ୍ରାନ୍‌ସ ଅଭିମୁଖରେ ଯାତ୍ରାକଲେ । ଗୋଟିଏ ରାତିମଧ୍ୟରେ ସେ ଲିୟନ୍‌ସ ନଗର ପର୍ଯ୍ୟନ୍ତ ଅଗ୍ରସର ହୋଇ ସେଠାରେ ଶିବିର ସ୍ଥାପନ କଲେ । ଫ୍ରାନ୍‌ସର ତତକାଳୀନ ରାଜା ଲୁଇ ଏକଦଳ ସୈନ୍ୟ ପଠାଇ ତାଙ୍କର ଗତି ରୋଧ କଲେ । ମାତ୍ର ତାଙ୍କର ସମସ୍ତ ଚେଷ୍ଟା ବିଫଳହେଲା । ସୈନ୍ୟମାନେ ରାଜା ଲୁଇଙ୍କ ଉପରେ ଏତେ ଉତ୍ୟକ୍ତ ହୋଇଥିଲେ ଯେ, ନେପୋଲିୟନଙ୍କୁ ଦେଖିଲା ମାତ୍ରେ ‘ସମ୍ରାଟ ନେପୋଲିୟନଙ୍କର ଜୟ’ କହି ଗଗନ କମ୍ପାଇ ଦେଲେ । ପ୍ରଜାମାନଙ୍କର ବିପୁଳ ଆଡ଼ମ୍ବର ଓ ହର୍ଷକୋଳାହଳ ମଧ୍ୟରେ ନେପୋଲିୟନ ସିଂହାସନ ଅଧିକାର କଲେ ।

 

ଇଉରୋପରେ ରାଜନ୍ୟବର୍ଗଙ୍କର ପୂନର୍ବାର ମନ୍ତ୍ରଣା ସଭା ବସିଲା । ନପୋଲିୟନଙ୍କୁ କିପରି ଗାଦିଚ୍ୟୁତ କରିବାକୁ ହେବ ଏହା ହିଁ ଏ ସଭାର ଉଦ୍ଦେଶ୍ୟ । ଦେଖୁ ଦେଖୁ ରାଜନ୍ୟବର୍ଗ ଅଠର ଲକ୍ଷ ସୈନ୍ୟ ଏକଜୁଟ କଲେ । ସେମାନଙ୍କର ଏ ଆୟୋଜନ ଦେଖି ଜଣେ ପଣ୍ଡିତ ଲେଖିଥିଲେ, ‘‘ନେପୋଲିୟନଙ୍କ ଶିରସ୍ତ୍ରାଣ ଓ ପରିଚ୍ଛଦ ଯଦି ଖଣ୍ଡିଏ ଯଷ୍ଟି ଉପରେ ବ୍ରେଷ୍ଟ ଉପକୂଳରେ ରଖାଯିବ, ତାହେଲେ ସମ୍ମିଳିତ ଶକ୍ତିପୁଞ୍ଜ ଇଉରୋପର ଏକ ପ୍ରାନ୍ତରୁ ଅପର ପ୍ରାନ୍ତ ପର୍ଯ୍ୟନ୍ତ ରଣସାଜରେ ସଜ୍ଜିତ ହେବ ।’’ ଏଥର କିନ୍ତୁ ଯେଉଁ ବିପୁଳ ସୈନ୍ୟ ସଜ୍ଜାହେଲା ନେପୋଲିୟନ ଦେଖିଲେ ସାରା ପୃଥିବୀରେ ପୁଣି ଏକ ରକ୍ତ ନଦୀ ପ୍ରବାହିତ ହେବ । ଅସଂଖ୍ୟ ନର ନାରୀ ପ୍ରାଣବଳି ଦେବେ । ଏହାର ସହଜ ସମାଧାନ ପାଇଁ ନେପୋଲିୟନ ତାଙ୍କ ଭାଇ ଯୋଷଫ୍‌ଙ୍କୁ ସନ୍ଧି ସ୍ଥାପନ ଆଶାରେ ଭିଏନା ନଗରକୁ ପ୍ରେରଣ କଲେ । ମାତ୍ର ସେ ଚେଷ୍ଟା ବ୍ୟର୍ଥ ହେଲା । ଫରାସୀମାନେ ପୁନର୍ବାର ଯୁଦ୍ଧ ନିମନ୍ତେ ପ୍ରସ୍ତୁତ ହେଲେ । ଏଥର କିନ୍ତୁ ନେପୋଲିୟନ ପରାସ୍ତ ହେଲେ ଏବଂ ତାଙ୍କୁ ଚିରଦିନ ପାଇଁ ସିଂହାସନ ମମତା ପରିତ୍ୟାଗ କରିବାକୁ ପଡ଼ିଲା । ୧୮୧୫ ଖ୍ରୀଷ୍ଟାବ୍ଦ ଅଗଷ୍ଟ ୯ ତାରିଖରେ ବିଶ୍ୱ ବିଜୟୀ ସମ୍ରାଟ ନେପୋଲିୟନ ସେଣ୍ଟହେଲେନ ଦ୍ୱୀପରେ ବନ୍ଦୀ ହେଲେ । ତାହାଙ୍କ ରହିବାପାଇଁ ଗୋଟିଏ କ୍ଷୁଦ୍ର କୋଠରୀ ନିର୍ଦ୍ଦିଷ୍ଟ ହୋଇଥିଲା । ଏଠାରେ ତାଙ୍କୁ ଅତି କୁଚ୍ଛିତ ଖାଦ୍ୟ ଦିଆଯାଉଥିଲା । ସେ ଯେଉଁ ଘରେ ରହୁଥିଲେ ତାହା ଏତେ ଛୋଟ ଯେ, ଓଳାଇବାକୁ ହେଲେ ବାହାରେ ଛିଡ଼ା ହୋଇ ଓଳାଇବାକୁ ପଡ଼େ । ଭୃତ୍ୟମାନେ ତାଙ୍କ ବାସସ୍ଥାନଠାରୁ ଦୁଇମାଇଲ ଦୂରରେ ଅବସ୍ଥାନ କରୁଥିଲେ । କିଛି ଦିନପରେ ହସେନ ଲୋ ଏହି ଦ୍ୱୀପକୁ ଶାସନକର୍ତ୍ତା ହୋଇ ଆସିଲେ । ତାଙ୍କ ହୃଦୟ ବଡ଼ ସଂକୀର୍ଣ୍ଣ । ସେ ନେପୋଲିୟନଙ୍କ ଉପରେ ଅଯଥା ଅତ୍ୟାଚାର ଆରମ୍ଭକଲେ ।

 

କିଛିଦିନପରେ ନେପୋଲିୟନ ସେଠାରେ ନାନା ରୋଗ ଯନ୍ତ୍ରଣା, ଅଭାବ, ଅସୁବିଧା ଭୋଗକଲେ । ଦୀର୍ଘ ୯ ମାସ ରୋଗ ଶଯ୍ୟାରେ ପଡ଼ିବାପରେ ବ୍ରିଟିଶ୍ ସରକାର ଡାକ୍ତର ଆଣ୍ଟୋମାର୍କଙ୍କୁ ତାଙ୍କର ଚିକିତ୍ସା ନିମନ୍ତେ ପଠାଇଲେ । ଦୀର୍ଘ ୫ ବର୍ଷକାଳ ନେପୋଲିୟନ କାରାଗାରରେ କଟାଇଲେ । ଷଷ୍ଠବର୍ଷର ଆରମ୍ଭରେ ତାଙ୍କର ଗୋଟିଏ ନୂତନ ଉପସର୍ଗ ଦେଖାଗଲା ଏବଂ ତାଙ୍କର ଜୀବନ ଶକ୍ତି କ୍ରମଶଃ କ୍ଷୀଣ ହେବାକୁ ଲାଗିଲା । ୧୮୨୧ ଖ୍ରୀଷ୍ଟାବ୍ଦ ଏପ୍ରିଲ ୧୫ ତାରିଖରେ ସେ ଜୀବନର କୌଣସି ଆଶା ନ ଦେଖି ଗୋଟିଏ ଉଇଲ ତିଆରି କଲେ । ସେଥିରେ ଲେଖାଥିଲା ଯେ ପଚାଶ ବର୍ଷ ପୂର୍ବେ ନେପୋଲିୟନ ରୋମାନ ଧର୍ମରେ ଜନ୍ମଗ୍ରହଣ କରିଥିଲେ ଏବଂ ସେହି ଧର୍ମ ବିଶ୍ୱାସରେ ଜୀବନ ଯାପନ କରି ଦେହତ୍ୟାଗ କରିଛନ୍ତି । ତାଙ୍କର ଇଚ୍ଛା ଫ୍ରାନ୍‌ସର ସୀନ ନଦୀ ତୀରରେ ତାଙ୍କର ଭସ୍ମାବଶେଷ ସମାହିତ ହେବ । ନିଜର ପୁତ୍ରପ୍ରତି ତାଙ୍କର ଏହି ଉପଦେଶ ଥିଲା ଯେ, ସେ ଯେପରି ନିଜକୁ ଫରାସୀ ରାଜପୁତ୍ର ବୋଲି ଭୁଲି ନ ଯାଏ-

 

ସେହି ବର୍ଷ ମେ ୨ ତାରିଖରେ ତାଙ୍କ ଜ୍ୱରର ପ୍ରକୋପ ବଢ଼ିଲା ଏବଂ ୪ ତାରିଖରେ ସେ ଇହଲୀଳା ସାଙ୍ଗ କରି ଅମରଧାମକୁ ଚାଲିଗଲେ ।

 

ଆଜି ବିଶ୍ୱବିଜୟୀ ନେପୋଲିୟନ କାଳର ଅନନ୍ତ ଗର୍ଭରେ ବିଲୀନ ହୋଇଛନ୍ତି, କିନ୍ତୁ ପୃଥିବୀରେ ସର୍ବତ୍ର ତାହାଙ୍କର ସ୍ମୃତି ଲୋକମୁଖରେ ପ୍ରକାଶିତ ହେଉଅଛି । ନେପୋଲିୟନ ତାଙ୍କ ସମୟରେ ପୃଥିବୀର ଶ୍ରେଷ୍ଠ ବୀର ଥିଲେ ସୁଦ୍ଧା ଶାସନନୀତି ଅଭାବରେ ତାଙ୍କର ବିରାଟ ସାମ୍ରାଜ୍ୟ ଧ୍ୱଂସପ୍ରାପ୍ତ ହୋଇଅଛି । ଦୁଃଖର କଥା ତାଙ୍କ ପରି ଶ୍ରେଷ୍ଠ ବୀରଙ୍କୁ ଦେଶବାସୀ ଯଥାର୍ଥ ପୂଜା କରି ପାରି ନାହାନ୍ତି । ଶେଷ ଜୀବନରେ ସେ ଯେଉଁ ପ୍ରକାର ଯନ୍ତ୍ରଣା ଭୋଗ କରିଛନ୍ତି, ଅନ୍ୟ କେହି ହୋଇଥିଲେ ଆତ୍ମହତ୍ୟା କରିବା ଶ୍ରେୟସ୍କର ହୋଇଥାନ୍ତା । ନେପୋଲିୟନ ଦିଗ୍‌ବିଜୟୀ ବୀର ହୋଇପାରିଥିଲେ କେବଳ ତାଙ୍କ ଜନନୀଙ୍କ ଯୋଗୁଁ । ଜୀବନର ଆରମ୍ଭରୁ ପଦେ ପଦେ ପୁତ୍ରକୁ ବୀର ରୂପେ ଗଢ଼ିଆଣିଥିଲେ ତାହାଙ୍କର ଜନନୀ । ସେଥିପାଇଁ ସେ ଥରେ କହିଥିଲେ, ‘‘ମୋର ଜନନୀ ମୋତେ ଯେପରି କରିଛନ୍ତି ମୁଁ ସେହିପରି ହୋଇଛି ।’’ ଜନନୀ ଓ ଜନ୍ମଭୂମିର ସେବା କରିବା ହିଁ ତାଙ୍କ ଜୀବନର ଲକ୍ଷ୍ୟ ଥିଲା । ଦେଶବାସୀଙ୍କ ନିମନ୍ତେ ତାଙ୍କ ପ୍ରାଣ ସବୁବେଳେ କାନ୍ଦୁଥିଲା । ବିଶ୍ୱ ଶାନ୍ତି ପ୍ରତିଷ୍ଠା ନିମନ୍ତେ ସେ ଆପ୍ରାଣ ଚେଷ୍ଟା କରିଛନ୍ତି, କିନ୍ତୁ ତତ୍‌କାଳୀନ ଇଉରୋପର ବିଭିନ୍ନ ଶକ୍ତି ତାଙ୍କର ଏ ମହତ୍ ଉଦ୍ଦେଶ୍ୟ ବୁଝିବାକୁ ଅକ୍ଷମ ଥିଲେ ।

Image